ଅକ୍ସଫୋର୍ଡର କୁଳପତି ପଦବି ନିମନ୍ତେ ଇମ୍ରାନ ଖାନ୍ଙ୍କ ଆବେଦନ
ଇସଲାମାବାଦ: ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଏ ଇନ୍ସାଫ୍ (ପିଟିଆଇ)ର ପୂର୍ବ ଅଧ୍ୟକ୍ଷ ଇମ୍ରାନ ଖାନ୍ (୭୧) ଅକ୍ସ୍ଫୋର୍ଡ ବିଶ୍ବବିଦ୍ୟାଳୟର କୁଳପତି ପଦବି ନିମନ୍ତେ ଆବେଦନ ଦାଖଲ କରିଛନ୍ତି। ଇମ୍ରାନ୍ଙ୍କ ଆବେଦନପତ୍ର ଦାଖଲ ସମ୍ପର୍କରେ ସୂଚନା ଦେଇ ଲଣ୍ଡନ ସ୍ଥିତ ପିଟିଆଇ ମୁଖପାତ୍ର ସୟଦ୍ ଜୁଲ୍ଫିକର ବୁଖାରି କହିଛନ୍ତି, ଏହା ଏକ ସମ୍ମାନସୂଚକ ପଦବି। ଏଥିପାଇଁ ଚୟନ ହେଲେ ସେ ୧୦ ବର୍ଷ ନିମନ୍ତେ କୁଳପତି ଦାୟିତ୍ବ ସମ୍ଭାଳିବେ। ଆବେଦନର ଯାଞ୍ଚ ସଂପ୍ରତି ଜାରି ରହିଛି। ଯଦି ସେ ନିର୍ବାଚନରେ ଜିତି କୁଳପତି ହୁଅନ୍ତି, ତେବେ ସେ ପ୍ରଥମ ଏସୀୟ ଭାବେ ଏହି ସମ୍ମାନର ଅଧିକାରୀ ହେବେ। ତାଙ୍କର ବିଜୟ କେବଳ ପାକିସ୍ତାନ ନୁହେଁ ସମଗ୍ର ଏସିଆ ପାଇଁ ଏକ ଗୌରବର ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।
୧୯୭୫ରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇମ୍ରାନ୍ ଖାନ୍ ଦର୍ଶନ, ରାଜନୀତି ଓ ଅର୍ଥନୀତି ପାଠ୍ୟକ୍ରମରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ୨୦୦୫ରୁ ୨୦୧୪ ମଧ୍ୟରେ ସେ ବ୍ରାଡ୍ଫର୍ଡ ବିଶ୍ବବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ଇମ୍ରାନ୍ ଖାନ୍ ଜଣେ ଜଣାଶୁଣା ବ୍ୟକ୍ତିତ୍ବ ହୋଇଥିଲେ ହେଁ ଏହି ପଦବି ନିମନ୍ତେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ସଫଳ ହେବା ଆଶା କ୍ଷୀଣ ବୋଲି ଅନେକ ସମୀକ୍ଷକ ମତ ଦେଇଛନ୍ତି। କାରଣ ବ୍ରିଟେନର ପୂର୍ବ ବିଦେଶ ସଚିବ ୱିଲିୟମ୍ ହଗ୍, ପୂର୍ବତନ ୟୁରୋପୀୟ ବାଣିଜ୍ୟ କମିସନର ପିଟର ମଣ୍ଡେଲସନ୍, ପୂର୍ବ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର୍, ବୋରିସ୍ ଜନ୍ସନ୍ ପ୍ରମୁଖଙ୍କ ସହ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିଛନ୍ତି।source:sambad.in