ବାଂଲାଦେଶର ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ
ରାୱଲପିଣ୍ଡି: ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ଲଗାତାର ଦୁଇ ଟେଷ୍ଟ୍ ଜିତି ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟର ସଫଳତା ପାଇଛି ବାଂଲାଦେଶ ଦଳ। ପାକିସ୍ତାନକୁ ଏହି ଦୁଇ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ମୂଳପୋଛ ବି କରିଛି ନମଜୁଲ ହୋେସନ୍ ସାଣ୍ଟୋଙ୍କ ଦଳ। ପାକିସ୍ତାନ ବିପକ୍ଷରେ ଏହା ପୂର୍ବରୁ ଗୋଟିଏ ବି ଟେଷ୍ଟ୍ ମ୍ୟାଚ୍ ଜିତି ନଥିବା ବାଂଲାଦେଶ ଚଳିତ ଗସ୍ତକୁ ଏକାଥରକେ ସ୍ମରଣୀୟ କରିଦେଇଛି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଏହି ଟେଷ୍ଟ୍ ଶୃଙ୍ଖଳା ବିଜୟ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛି। ଅନ୍ୟପକ୍ଷରେ ଏକ ନିମ୍ନମାନ୍ୟତାପ୍ରାପ୍ତ ଦଳଠାରୁ ହାରି ପାକିସ୍ତାନ ଦଳ କଡ଼ା ସମାଲୋଚନାର ଶରବ୍ୟ ହୋଇଛି।
ସୋମବାର ବାଂଲାଦେଶ ସମ୍ମୁଖରେ ୧୮୫ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଭ୍ରମଣକାରୀ ବିନା କ୍ଷତିରେ ୪୨ ରନ୍ ସଂଗ୍ରହ କରିନେଇଥିଲା। ଖରାପ ଆଲୋକ ଓ ବର୍ଷା କାରଣରୁ ଚତୁର୍ଥ ଦିନ ଖେଳ ଆଗୁଆ ବନ୍ଦ ରହିଥିବାରୁ ପଞ୍ଚମ ଦିନ ଆଶା ଓ ଆଶଙ୍କା ଲାଗି ରହିଥିଲା। ତେବେ ମଙ୍ଗଳବାର ପାଗ ପ୍ରତିବଂଧକ ସାଜି ନଥିଲା। ପାକିସ୍ତାନ ବୋଲର ବି ବିଶେଷ କିଛି କରିପାରି ନଥିଲେ। ଶୀର୍ଷ ୪ ବ୍ୟାଟର୍ ଜାକୀର ହାସନ (୪୦), ନଜମୁଲ ହୋସେନ୍ ସାଣ୍ଟୋ (୩୮), ମୋମିନୁଲ ହକ୍ (୩୪), ସଦମାନ ଇସଲାମ (୨୪)ଙ୍କ ଛୋଟ ଛୋଟ ପାଳି ଦଳକୁ ବିଜୟ ଆଡ଼କୁ ନେଇଥିଲା। ଶେଷକୁ ଦୁଇ ଅଭିଜ୍ଞ ଯୋଡ଼ି ମୁସଫିକର ରହିମ୍ (୨୨*) ଓ ସକିବ୍ ଅଲ୍ ହାସନ୍ (୨୧*) ଅତୁଟ ପଞ୍ଚମ ୱିକେଟ୍ରେ ୩୨ ରନ୍ ଯୋଡ଼ି ଦଳକୁ ମଧ୍ୟାହ୍ନ ଭୋଜନ ପରେ ବିଜୟୀ କରାଇଥିଲେ। ଭ୍ରମଣକାରୀ ଦଳ ୪ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରି ନେଇଥିଲା। ପ୍ରଥମ ପାଳିରେ ନିର୍ଣ୍ଣାୟକ ଶତକ (୧୩୮) ପାଇଁ ଲିଟନ୍ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ମୋଟ ୧୫୫ ରନ୍ ଓ ୧୦ ୱିକେଟ୍ ନେଇ ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ମେହଦୀ ହାସନ୍ ମିରାଜ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।source:dharitri.com