ମହିଳା ଆତ୍ମହତ୍ୟାର ନିରାକରଣ: ସେପ୍ଟେମ୍ବର ମାସର ଆହ୍ବାନ!

ବିଶେଷ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରତିବର୍ଷ ୭,୦୦,୦୦୦ରୁ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରନ୍ତି। ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ୧,୬୪,୦୩୩ ଆତ୍ମହତ୍ୟା ରିପୋର୍ଟ ହୋଇଥିଲା। ଦୁନିଆର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ଭାରତର ଅଂଶ ବିଶ୍ୱରେ ଆତ୍ମହତ୍ୟା ଅଧିକ ହେବାର ଆଶଙ୍କା ରହିଛି। ତେବେ ଭାରତରେ ଆତ୍ମହତ୍ୟା ମୃତ୍ୟୁହାର ଯଥେଷ୍ଟ ଅଧିକ, ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା କ୍ରମାଗତ ବୃଦ୍ଧି ପାଉଛି। ଲାନ୍‌ସେଟ୍ ଓ ଅନ୍ୟାନ୍ୟ ବିଭିନ୍ନ ସଂଗଠନର ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ରିପୋର୍ଟରେ ଦର୍ଶାଯାଇଛି ବିଶ୍ୱର ସଂଗଠିତ ହୋଇଥିବା ଆତ୍ମହତ୍ୟାରେ ଭାରତର ଅବଦାନ ୧୯୯୦ରେ ୨୫.୩%ରୁ ୨୦୧୬ରେ ୩୬.୬%କୁ ବୃଦ୍ଧି ପାଇଛି। ଯଦି ଆମେ ଭାରତର ଆର୍ଥିକ ପ୍ରଗତିର ବିକଶିତ ରାଜ୍ୟ ସମୂହକୁ ଦେଖିବା ତେବେ ପଛୁଆ ରାଜ୍ୟରେ ମହିଳା ଆତ୍ମହତ୍ୟା ଅଧିକ ଘଟୁଛି ବୋଲି ‘ଏନ୍‌ସିଆର୍‌ବି’ ରିପୋର୍ଟରୁ ଜଣାପଡୁଛି। ୨୦୨୦-୨୧ ରିପୋର୍ଟ ଆଧାରରେ ମହିଳା ଆତ୍ମହତ୍ୟାରେ ସିକିମ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ସ୍ଥାନ ୧୪ରେ ରହିଥିଲା।

ବିଶିଷ୍ଟ ମନସ୍ତତ୍ତ୍ବବିତ୍‌ ଡାକ୍ତର ଗୀତା ଦାସ କହନ୍ତି, “ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ଆତ୍ମହତ୍ୟା ନିରୋଧ ମାସ ଭାବେ ପାଳନ କରାଯାଇଆସୁଛି। ଏହି ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା ତେବେ ସମଗ୍ର ପୃଥିବୀରେ ମହିଳା ଆତ୍ମହତ୍ୟା ଯେପରି ବଢ଼ି ଚାଲିଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିନ୍ତୁ ଭାରତରେ ମହିଳା ଆତ୍ମହତ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଏହାର ନିରାକରଣ ପାଇଁ ବର୍ତ୍ତମାନ ଅନେକ ବିଶେଷଜ୍ଞ ଓ ମନସ୍ତତ୍ତ୍ବବିତ୍‌ମାନେ ଗଭୀର ଅନୁଧ୍ୟାନ କରୁଛନ୍ତି। ବିଶ୍ୱର ପ୍ରାୟ ସ୍ଥାନରେ ମାନସିକ ରୋଗୀ ଓ ଚିକିତ୍ସାକୁ ଆମେ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଉ। ଯଦି ପ୍ରଥମରୁ ଏହାର ଚିକିତ୍ସା କରାଯାଆନ୍ତା ତେବେ ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଜଣକ ହୁଏତ ଆତ୍ମହତ୍ୟା ନକରି ଜଣେ ଭଲ ମଣିଷ ଭାବେ ବଞ୍ଚି ପାରିଥା’ନ୍ତା। ଆମେ ଜାଣିରଖିବା ଦରକାର, ଆମେମାନେ ହିଁ ସେହି ବ୍ୟକ୍ତିର ସବୁ ନାଗରିକ ଅଧିକାରକୁ ହନନ କରୁଛେ ଏବଂ ଏଥିପାଇଁ ଆମେ ଅପରାଧୀ ହୋଇ ରହିଛେ”।  source:sambad.in


Related News