କାନପୁରରେ ବର୍ଷା ପରେ ରେକର୍ଡ ବର୍ଷା: ଦ୍ରୁତତମ ୫୦, ୧୦୦, ୧୫୦, ୨୦୦, ୨୫୦

ଖେଳ

କାନପୁର: ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ। ପରବର୍ତ୍ତୀ ଅଢ଼େଇ ଦିନ ପ୍ରତିକୂଳ ପାଗର ପ୍ରତିବଂଧକ। ତିନି ଦିନରେ ୮ ଅଧିବେଶନର ଖେଳ ବାତିଲ ହେବା ପରେ କାନପୁର ଟେଷ୍ଟ୍‌ର ଚତୁର୍ଥ ଦିନରେ ଅପ୍ରତ୍ୟାଶିତ ‌ରୋମାଞ୍ଚ ଓ ଉତ୍କଣ୍ଠା ଭରିଛି ଭାରତୀୟ କ୍ରିକେଟ୍ ଦଳ। ଦ୍ରୁତ ଗତିରେ ଅମୀମାଂସିତ ଆଡ଼କୁ ଅଗ୍ରସର ହେଉଥିବା ଏହି ମ୍ୟାଚ୍‌ର ମୋଡ଼ ଅସାଧାରଣ ଢଙ୍ଗରେ ବଦଳାଇ ନିଜ ପାଇଁ ନାଟକୀୟ ବିଜୟ ସମ୍ଭାବନା ସୃଷ୍ଟି କରିଛି। ସୋମବାର ବାଂଲାଦେଶର ଅବଶିଷ୍ଟ ୭ ୱିକେଟ୍ ୩୯.୨ ଓଭରରେ ଝାଡ଼ିବା ପରେ ମାତ୍ର ୩୪.୪ ଓଭରରେ ଅଢ଼େଇ ଶହରୁ ଅଧିକ ରନ୍ କରି ‌ଟେଷ୍ଟ୍ ଇତିହାସରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛି ଭାରତ। ପୁଣି ଆକ୍ରମଣାତ୍ମକ କ୍ରିକେଟ୍‌ର ଅତୁଳନୀୟ ନମୁନା ଦେଖାଇ ୮ରୁ ଅଧିକ ହାରରେ ରନ୍ ଯୋଡ଼ିବା ସହ ୨୮୫/୯ରେ ପାଳି ଘୋଷଣା କରି ଏକାଧିକ ବିରଳ ମାଇଲ୍‌ଖୁଣ୍ଟ ଛୁଇଁଛି। ୧୪୭ ବର୍ଷର ଟେଷ୍ଟ୍ ଇତିହାସରେ ଦ୍ରୁତତମ ୫୦ (୧୯ବଲ୍), ୧୦୦ (୬୨ ବଲ୍), ୧୫୦ (୧୧୨ ବଲ୍), ୨୦୦ (୧୪୮ ବଲ୍) ଓ ୨୫୦ (୧୮୩ ବଲ୍) ରନ୍ କରିଛି। ପ୍ରଥମ ପାଳିରେ ୫୨ ରନ୍‌ର ଅଗ୍ରଣୀ ଲାଭ କରିବା ପରେ ଆଜି ଷ୍ଟମ୍ପ୍ସ ବେଳକୁ ବାଂଲାଦେଶର ଦୁଇଟି ଦ୍ବିତୀୟ ପାଳି ୱିକେଟ୍ କରାୟତ୍ତ କରି ଐତିହାସିକ ସଫଳତାର ଦ୍ବାର ଦେଶରେ ରହିଛି। ୨୬ ରନ୍‌ରେ ୨ ୱିକେଟ୍ ହରାଇଥିବା ବାଂଲାଦେଶ ଏବେବି ଭାରତର ପ୍ରଥମ ପାଳି ଅଗ୍ରଣୀକୁ ଭରଣା କରିବାଠାରୁ ୨୬ ରନ୍ ଦୂରରେ ଅଛି। ଚତୁର୍ଥ ଦିନରେ ୧୮ ୱିକେଟ୍‌ର ପତନ ହେବା ପରେ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନର ଖେଳ ଉଭୟ ଦଳ ପାଇଁ ଆଶା ଓ ଆଶଙ୍କାଭରା ହେବାକୁ ଯାଉଛି। source:sambad.in


Related News