Hockey Asian Champions Trophy: ଭାରତର ବିଜୟ ଅଭିଯାନ, ୪-୧ ଗୋଲରେ ମାଲେସିଆକୁ ଦେଲା ମାତ୍

Ringing

ନୂଆଦିଲ୍ଲୀ,୨୦/୧୧; ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିର ନବମ ସଂସ୍କରଣ ଭୋପାଳରେ ଆରମ୍ଭ ହୋଇଛି । ଆୟୋଜକ ଡିଫେଣ୍ଡିଂ ଚାମ୍ପିଅନ ଭାରତ ୪-୧ ଗୋଲରେ ମାଲେସିଆକୁ ପରାଜିତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ନବମ ସଂସ୍କରଣରେ ମୋଟ୍ ୬ଟି ଦଳ (ଆୟୋଜକ ଦଳ ସମେତ ଚୀନ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଓ ଥାଇଲାଣ୍ଡ) ଭାଗ ନେଇଛନ୍ତି । ପ୍ରଥମ ଦିବସରେ ୩ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଚୀନ ୭-୦ ଗୋଲରେ ଥାଇଲାଣ୍ଡକୁ ଏବଂ ଜାପାନ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା ।

ଭାରତ-ମାଲେସିଆ: ପ୍ରଥମ କ୍ୱାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେଣୁ ଏହି ଭାଗ ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ପ୍ରଥମେ ମାଲେସିଆ ଖାତା ଖୋଲିବାରେ ସଫଳ ହୋଇଥିଲା । ୧୯ ମିନିଟରେ ଦଳ ଗୋଲ ଦେଇ ୧-୦ ଗୋଲରେ ଆଗୁଆ ରହିଥିଲା । ମାତ୍ର ଏକ ମିନିଟ ମଧ୍ୟରେ ଭାରତ ଏହି ଗୋଲ ପରିଶୋଧ କରି ସ୍ଥିତି ୧-୧ କରିଥିଲା । ମମତାଜ ଖାନ ଏହି ଗୋଲ ଦେବାରେ ସଫଳ ରହିଥିଲେ । ତୃତୀୟ କ୍ୱାର୍ଟରକୁ ଭାରତ ନିୟନ୍ତ୍ରଣରେ ରଖିଥିଲା । ୩୫ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ (ପିସି) ଅଧିନାୟିକା ସଲିମା ଟେଟେ ଗୋଲରୂପ ଦେବାରେ ସଫଳ ରହିଥିଲେ । ପୁଣି ୩୯ ମିନିଟରେ ଓଡ଼ିଆ ଡିଫେଣ୍ଡର ପୂଜା ସାହୁ ଆଉ ଏକ ପିସିକୁ ଗୋଲରେ ରୂପାନ୍ତରିତ କରିବାରେ ସଫଳ ରହିଥିଲେ । ସେ ଏହି ମ୍ୟାଚରେ ପଦାର୍ପଣ କରିଥିଲେ ।

ଅନ୍ତିମ କ୍ୱାର୍ଟରରେ ମାଲେସିଆ କଡ଼ା ଟକ୍କର ଦେଇଥିଲା । ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସମସ୍ତ ଶକ୍ତି ପ୍ରୟୋଗ କରିଥିଲା । ୪୯ ମିନିଟରେ ଭାରତୀୟ ଖେଳାଳି ଆକ୍ରମଣ କରି ମାଳେସିଆ ଡି’ ମଧ୍ୟରେ ପ୍ରବେଶ କରି ଏକ ପିସି ହାସଲ କରିଥିଲେ । ଲାଲରେମସିଆମି ଏହି ଗୋଲଟି ସଫଳତାର ସହ ଦେବା ପରେ ଭାରତ ୪-୧ ଗୋଲରେ ଅଗ୍ରଣୀ ସହ ସ୍ଥିତି ମଜବୁତ କରିଥିଲା । ଶେଷ ୧୧ ମିନିଟ ଖେଳ ତୀବ୍ର ପ୍ରତିଦ୍ୱନ୍ଦ୍ୱତା ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ମାଲେସିଆ ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ନପାଇ ପରାଜିତ ହୋଇଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂଜା ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଭାରତ ଆସନ୍ତା ୨୧ ତାରିଖରେ ଦକ୍ଷିଣ କୋରିଆକୁ ଭେଟିବ ।

source:prameya news